ଏସ୍ଆଇଆର ଓ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭ ବିକ୍ଷୋଭ କରୁଥିବା ବେଳେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି। ଆଉ ସୁପ୍ରିମକୋର୍ଟ ପୂରା ଘଟଣାରେ ଜ୍ଞାନେଶ କୁମାରଙ୍କୁ ଜବାବ ତଲବ କରିଛନ୍ତି। Supreme Court Issues Notice To ECI, CEC: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆରରେ ଅନିୟମିତତା ଓ ଭୋଟର ତାଲିକାରୁ ନାଁ କଟିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ। ବିରୋଧୀ ଇଣ୍ଡିଆ ବ୍ଲକ ନେତାଙ୍କ ଆବେଦନ ଉପରେ ଆଜି ଦେଶର ନିର୍ବାଚନ କମିଶନ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ଅଦାଲତ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ଇଣ୍ଡିଆ ବ୍ଲକର ଅନେକ ସଦସ୍ୟ ଓ ବିଭିନ୍ନ ସଂଗଠନ ଭୋଟର ତାଲିକାରୁ ଅନେକ ଲୋକଙ୍କ ନାଁ କଟିବା ଉପରେ ପ୍ରଶ୍ନ ଉଠାଇଥିଲେ। ସେହିପରି ବିଭିନ୍ନ ସ୍ଥାନରେ ଚାଲିଥିବା ଏସ୍ଆଇଆରରେ ଅନିୟମିତତା ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏନେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଇସିଆଇ ଓ ସିଇସିଙ୍କୁ ନୋଟିସ କରିଛନ୍ତି।