Corona Update: ପୁଣି ପଶିଲା କରୋନା ଡର। କରୋନାର ନୂଆ ଭାରିଆଣ୍ଟ JN.1 କେରଳ, କର୍ଣ୍ଣାଟକ ସମେତ ଆଉ କିଛି ରାଜ୍ୟରେ ଦ୍ରୁତ ସଂକ୍ରମଣ କରିବା ପରେ ସବୁ ରାଜ୍ୟକୁ ଆଲର୍ଟ କରାଇଛନ୍ତି କେନ୍ଦ୍ର ସରକାର।
ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟ ସହ ବୈଠକ କରିବେ। ସେପଟେ ବରିଷ୍ଠ ଚିକିତ୍ସକଙ୍କ ମତରେ, କରୋନାର ଏହି ନୂଆ ଭାରିଆଣ୍ଟ JN.1ର ଦ୍ରୁତ ସଂକ୍ରମଣ କ୍ଷମତା ରହିଛି।
ଥରେ ସଂକ୍ରମିତ ହେଲେ, ଏହା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ସଂକ୍ରମିତ କରିପାରୁଛି। ତେଣୁ ନୂଆ ଭାରିଆଣ୍ଟକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଚିକିତ୍ସକମାନେ। ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ସମସ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି।
କରୋନାର ନୂଆ ଭାରିଆଣ୍ଟ JN.1କୁ ନେଇ ବଢ଼ିଲା ଚିନ୍ତା। କେରଳରେ ଏହି ଭାରିଆଣ୍ଟ ସଂକ୍ରମଣ କରୁଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଲର୍ଟ କରି ଦେଇଛନ୍ତି।
ବରିଷ୍ଠ ଚିକିତ୍ସକ ଡାକ୍ତର ନୀରଜ ମିଶ୍ର କହିଛନ୍ତି, ନୂଆ ଭାରିଆଣ୍ଟ JN.1 ସବ୍ ଭାରିଆଣ୍ଟ ଓମିକ୍ରନର ନୂଆ ଭାରିଆଣ୍ଟ। ଏଥିରେ ନୂଆ ମ୍ୟୁଟେସନ ଥିବାରୁ ଏହା ଲୋକଙ୍କୁ ଅଧିକ ସଂକ୍ରମିତ କରିବାର ସମ୍ଭାବନା ରହିଛି।
ଏହି ଭାରିଆଣ୍ଟ ସଂକ୍ରମଣ କଲେ ସ୍ବଳ୍ପ ଲକ୍ଷଣ ରହୁଛି। ସଂକ୍ରମିତମାନେ ୪ରୁ ୫ ଦିନ ଭିତରେ ସୁସ୍ଥ ହୋଇଯାଉଛନ୍ତି। ନୂଆ ଭାରିଆଣ୍ଟ ସଂକ୍ରମଣରୁ ଦୂରେଇ ରହିବାକୁ ହେଲେ ବୟସ୍କ ରୋଗୀମାନେ ସତର୍କ ହେବା ଦରକାର। ଥଣ୍ଡା, କାଶ ହେଲେ ପୁଣି ଥରେ ମାସ୍କ ପିନ୍ଧିବା ଅଭ୍ୟାସ ଆରମ୍ଭ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ନୀରଜ ମିଶ୍ର।
ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ JN.1କୁ ନେଇ ବିଭାଗ ଆଲର୍ଟ ରହିଛି। ବିଭାଗର ବୈଷୟିକ କମିଟି ଏହା ଉପରେ ଅଧିକ ତର୍ଜମା କରୁଛି।
ଆବଶ୍ୟକ ପଡ଼ିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇପାରେ। ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଯେଉଁମାନଙ୍କର ଥଣ୍ଡା, କାଶ, ଜ୍ଵର ଅଧିକ ଦିନ ରହୁଛି, ସେମାନଙ୍କର ପୂର୍ବ ପରି କୋଭିଡ୍ ଟେଷ୍ଟ କରାଯାଉଛି।
ଏଯାଏଁ ରାଜ୍ୟରେ କେହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇନାହାଁନ୍ତି। ରୋଗୀ ଚିହ୍ନଟ ହେଲେ ଜିନମ ସିକ୍ୱେନ୍ସ ପାଇଁ ପଠାଯିବ। ତେବେ କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଆବଶ୍ୟକ ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ଯଥେଷ୍ଟ ପରିମାଣର ଟେଷ୍ଟ କିଟ୍ ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।
କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ନୂଆ ଭାରିଆଣ୍ଟ ସଂକ୍ରମଣ କରିବା ପୂର୍ବରୁ ଲୋକମାନେ ସତର୍କ ହେବା ଦରକାର। ଥଣ୍ଡା, କାଶ ହେଲେ ତା ପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ସହ କୋଭିଡ୍ ନିୟମ ପାଳନ କରିବା ଜରୁରୀ।
ବୟସ୍କ ବ୍ୟକ୍ତିମାନେ ଏବେ ମାସ୍କ ପିନ୍ଧି ଘରୁ ବାହାରିବା ଉଚିତ୍। ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ପିକନିକ, ପାର୍ଟ ଉତ୍ସବର ଆୟୋଜନ କରାଯାଉଥିବାରୁ ଭିଡ଼ରେ ସାବଧାନତା ଓ ସତର୍କତା ଅବଲମ୍ବନ କରାଯିବା ନିହାତ ଦରକାର ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।
କୋଭିଡର ନୂଆ ଭାରିଆଣ୍ଟକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି। ଏଥିସହ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସି ସ୍ଥିତି ସମୀକ୍ଷା କରାଯିବ।
ନିରୁପମା ବେହେରା ଓ ସତ୍ୟଜିତ ସେନାପତିଙ୍କ ରିପୋର୍ଟ, ନ୍ୟୁଜ 18 ଓଡ଼ିଆ










